...

2 views

ବସନ୍ତର ଶେଷ ଚିଠି
ମୋ ଆକାଶ ତଳର ଜହ୍ନ

ତୁମେ ଜାଣିଛ କାଲି ରାତିରେ ନା ମୋର ତୁମ କଥା ଭାରି ମନେ ପଡ଼ିଲା । ତୁମେ ମୋ ମନରେ ଆସି ଧାଇଁଲ ଆଉ ମୋ କାଗଜ କଲମ ମନେ ଆଶଙ୍କା ରେ ପଡିଗଲେ ତୁମର ଏ ଧାଇଁବାରେ। ସତେ ସେମାନେ ଯେମିତି ହାତ ଠାରି ଡାକୁଥିଲେ, ମୁଁ ବି ରୋକି ପାରିଲିନି ନିଜକୁ । ଉତାରି ପକେଇଲି ମୋ ମନର ଏଇ ସୁକୁମାରୀ ଭାବନାକୁ ।

କେମିତି ଅଛ ତୁମେ । ତୁମର ମନେ ଅଛି,
ପ୍ରତିଥର ତୁମେ ଲାଜେଇ ଯାଅନା, ନା ମୋତେ ତୁମ ମିଠା ହସ ର ପରଶରେ ଭିଯିବାକୁ ଦିଅ, ନା ମୋତେ ତୁମ ରେଶମିତ ଖୋଲା କେଶରେ ରଙ୍ଗୀନ କର । ଆଜିବି ତୁମ ଅଧା ହାଲୁକା ହସ ସେମିତି ଛଟକୁଛି, ସକାଳର ସୁନେଲି ଖରା ପରି। ମୁଁ ଜାଣିନି ତୁମ ଲାଜର କାରଣ, ଜାଣିବା କୁ ଅପେକ୍ଷା ବି କରେନି ମୁଁ, ତୁମ କୋମଳ ହସର ଧଳା ଟଗର ପରି ଚମକୁଥିବା ଦାନ୍ତ କୁ ମାନିନିଏ ମୋର ତୁମ ପାଇଁ ଥିବା ପ୍ରଶଂସା ର କାରଣ।

କଣ କହିବି ତୁମକୁ, ତୁମେ ଶୀତଳ ଝରଣା ର ଥଣ୍ଡା ଜଳ, ତୁମେ ନିଃଶ୍ୱାସ ତୁମେ ଆବେଗ, ତୁମେ ଅଧା ଦେଖା ସ୍ବପ୍ନ ର ନାୟିକା, ତୁମେ ଜହ୍ନ ର କୋମଳତା, ତୁମେ ବସନ୍ତ ର ଆମ୍ବ କୁସୁମ, ତୁମେ ସ୍ବପ୍ନ, ତୁମେ ବାସ୍ତବତା, ତୁମେ ପ୍ରଥମ ପ୍ରେମର ପହିଲି ଚିଠି, ତୁମେ କୋଇଲି ର ଗୀତ, ତୁମେ ଆକାଶର ନିରବତା, ତୁମେ ଉପେନ୍ଦ୍ର ଭଞ୍ଜଙ୍କ କବିତା ।

ମୋ ସକାଳ ର ପ୍ରଥମ ନିଃଶ୍ୱାସ ତୁମେ
ମୋ ରାତି ତକିଆର ବାସ୍ନା ତୁମେ

ଆଶା ଏତିକି କରେ

ତୁମ ଚମ୍ପା କଢ ପରି ହସ ସେମିତି ଝଟକୁଥାଉ
ତୁମେ ଲୁହ ର ସ୍ଵାଦ ଭୁଲିଯାଅ
ତୁମେ କୋହ ର ପଥର କୁ ଭାଙ୍ଗିଦିଅ
ତୁମେ ପୁଣି କୋମଳ ଶିଶୁ ପରି ଆଉ ଥରେ ଶୁଅ ଆଉ ମୁଁ ତୁମକୁ ଦେଖୁଥାଏ ସେମିତି

ଦୁନିଆରେ ସବୁ କିଛି ସରିଯାଉ
ହେଲେ ତୁମ ହସ ସେମିତି ରହୁଥାଉ ।

ଇତି
ତୁମର

ତୁମଠାରୁ ଅଧିକ ଭାବୁଥିବା
ମୁଁ