...

2 views

ଦ୍ୱନ୍ଦ୍ୱ ରୂପୀ ନାୟିକା -- ୨ 🥴
ବିଚଳିତ ମନକୁ ନିଜ ନିୟନ୍ତ୍ରଣକୁ ଆଣି ଚାଲିଯାଇ ଥିଲି ବୁଲିବାକୁ ଆମ୍ବ ତୋଟା ଆଡ଼େ।
(ଟିକେ ପୂର୍ବର ସ୍ଥିତି) -- ପୋଷାକ ପରିବର୍ତ୍ତନର କାର୍ଯ୍ୟକ୍ରମ ସମାପନ ପରେ ତୁମ ବୋଉ ସଶ୍ରଦ୍ଧାରେ ଡାକିନେଇ ବାଢି ଦେଇଥିଲେ ୯ ତିଅଣରେ ୬ ଭଜା ସାଙ୍ଗକୁ ମୋର ସବୁଠୁ ପ୍ରିୟ ମାଛ ମୁଣ୍ଡ ଛେଁଚେଡା, ଚାଟିଚୁଟି ସବୁ ଖାଇଲା ବେଳେ କାହିଁକି କେଜାଣି ହଠାତ ମୋ ଆଖିଟି ଚାଲିଗଲା ଠିକ କବାଟର ଫାଙ୍କା ଥିବା ପୃଷ୍ଠ ଭାଗକୁ!
“ଲୋକରଣ୍ୟରେ ଗୋପନ ପୀରତିର ସ୍ୱାଦକୁ ଆପ୍ୟାୟିତ କରିବା” ଭୁଲ ଭାବି ପୁଣିଥରେ ମୁଣ୍ଡପୋତି ଗାଉଁଗାଉଁ କରି ଖାଇ ଉଠିଆସିଥିଲି ହାତ ଧୋଇବାକୁ। ମନରେ ମୋର ତେଣିକି ଅନେକ ପ୍ରଶ୍ନ - କିଏ ସେ?, କାହିଁକି ସେ ସେଠି ଠିଆ ହୋଇଥିଲେ? କ'ଣ ଥିଲା ତାଙ୍କର ପ୍ରଯୁଜ୍ୟ? ଏମିତି... ବିଚଳିତ ମସ୍ତିଷ୍କ ଶୀତଳତା ସାଙ୍ଗକୁ ପେଟର ଗର୍ଜନ ଶାନ୍ତ ହୋଇଯାଇ ଶରୀର ଆଜ୍ଞା ଚାହୁଁଥିଲା କେଉଁଠି ଟିକେ ପେଟେଇ ପଡି ହଜେଇଦେବ ନିଜକୁ। ଛାଡ଼! ଘରେ ପ୍ରବେଶ ଓ ତୁମ ଆସିବା ଖୁସିରେ ତୁମ ଭଉଣୀ ଅର୍ଥାତ ମୋ ଶାଳୀର କଣ୍ଠ କର୍କଶରେ ସେ ଦିବ୍ୟ ଅନୁଭବ କାହିଁ କେଉଁଆଡକୁ ଉଭେଇଗଲା କିଛି ଜଣାପଡିଲାନି। ଅପରାହ୍ନ ପାଖାପାଖି ୩ଟା ସମୟ ହେବ ତୁମ ଘରେ ଇଏ ଗାଁ ବଜାର ପନିପରିବା କିମ୍ବା ମାଛହାଟ ଭଳି ପରିବେଶ ଭିତରେ ମୋର ଉପସ୍ଥିତି ଯେମିତି ଲାଗିଲା ପୋଷା କୁକୁର ପରି.....
ଆଉ ବିଳମ୍ବ ନ କରି ପାଦ ପରେ ପାଦ ପକେଇ ଚାଲିଲି ଆମ୍ବ ତୋଟା ଆଡ଼େ! ତୋଟାରେ ପହଞ୍ଚିବାପରେ ଏମିତି ଥଣ୍ଡା ପବନରେ ବୁଲୁବୁଲୁ ଦେଖିଲି କିଛି ପୁରୁଣା କାଳିଆ ପୁରୁଖା ଲୋକ ରୁଣ୍ଡ ହୋଇ କିଛି କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି, ମୋ ମନର ଉତ୍କଣ୍ଠା ଓ ଉଦବେଗକୁ ସମ୍ଭାଳି ନପାରି ଯାଇଁ ପହଞ୍ଚିଲି ସେଠାରେ। ଦେଖିଲି ସେମାନେ ତଳେ ଗାମୁଛା ବିଛେଇ ତା'ଉପରେ ତାସ୍ ପକେଇ ଖେଳିବାରେ ଲାଗିଛନ୍ତି, ଖେଳର ତାଳରେ ଗାଁର କେତେକଥା ଗଜା ହୋଇ ଗଛରେ ପରିଣତ ହେଇଯାଉଥିଲା ତାହା ଆଲୋଚନା କରିବା ଥିଲା ନିନ୍ଦୁକ! ମୁଁ ବା କାହାକୁ ଜାଣିଛି ଯେ କାହା ସହ କଥା ହେବି? ଏମିତି ଭାବି ବସିଗଲି ତାଙ୍କ ମେଳରେ। ଆମ୍ବତୋଟାର ସୁଲୁସୁଲିଆ ପବନ ସାଙ୍ଗକୁ ଖେଚୁଡ଼ି ରୂପକ କଥା ଯଦିଓ ମୋ ଠାରେ ହଜମ ହୋଇଯାଉ ଥିଲା ହଠାତ ଗୋଟିଏ କଥା ଶୁଣି ବଦହଜମି ହେବାର ଆଶଙ୍କା ପାଇ ଚମକି ପଡ଼ିଥିଲି।। କଥା ଥିଲା ତୁମ ଓ ମୋ ବିବାହର ପୂର୍ବ ସ୍ଥିତିର ??
ତୁମର ଅପରୂପ ଯୌବନର ଆକର୍ଷଣରେ କେତେଯେ ପ୍ରସ୍ତାବ ଆସିଛି ତୁମ ପାଖକୁ, ହେଲେ ସେମାନଙ୍କ ମଧ୍ୟରୁ ମତେ ବାଛିନେବାର କାରଣ ପଡିଶା ଲୋକମାନଙ୍କ ପାଇଁ ଥିଲା ଅସ୍ପଷ୍ଟ ଓ ଚିନ୍ତାର ବିଷୟ! ଯଦି ତୁମ କଥାମତେ ପଚରା ଯାଏ ତୁମକୁ ବିବାହ କରିବାର କାରଣ କ'ଣ ? ତେବେ ସେ କ୍ଷେତ୍ରରେ ଉତ୍ତର ଏତିକି ହିଁ ମିଳିବ -- “ଆଗକୁ ଆସୁଥିବା ସମୟକୁ ଅପେକ୍ଷା”! ହେଲେ ତୁମ ଉତ୍ତରରେ ମୋର ସ୍ଥିତି ଟିକେ ନିଆରା ଥିଲା। ତୁମର ଜୀବନର ପ୍ରାରମ୍ଭରୁ ହିଁ ବର୍ତ୍ତମାନ ପର୍ଯ୍ୟନ୍ତ ବିଳାସବ୍ୟସନ ଓ ସୁଖରେ କାଟୁଥିଲା କିନ୍ତୁ ତୁମେ ଅଟକିଥିଲ ସଂଘର୍ଷ ପୂର୍ଣ୍ଣ ଜୀବନରେ ମୋ ସହ ଛିଡା ହୋଇ କିଛି ନୂତନତ୍ବକୁ ଆବିଷ୍କାର କରି ତୁମ ଜୀବନର ଆଉ ଏକ ଫର୍ଦ୍ଧ ଲେଖିବା ଆଶାରେ।।

କ୍ରମଶଃ.....
© Ritesh Dash