...

0 views

- ବାପାଙ୍କ EVERY DAY ଟର୍ଚ୍ଚ - ଏସ୍ ଏସ୍ ଏନେ✍️..
ବାପାଙ୍କ ଟର୍ଚ୍ଚ

ଚୁଲି ମୁଣ୍ଡରେ ରୁଟି ସେକୁଥିବା ବୋଉ କୁ ଖୁଣ୍ଟରେ ଆଉଜି ପଚାରିଲି, "କହିଲୁ ବୋଉ ଏଥର ବି ଇଣ୍ଟର୍ଭିଉ ରେ ଯଦି ଭଲ ନ ହେଲା?"
ବୋଉ କହିଲା, "ନ ହେଲେ ନାଇଁ, ଜୀବନ ଅଛି ଯଦି ଜୀବିକା ବି ଅଛି। ସମୟ ତୋ ହାତ ଧରି ନେଇ ପହଞ୍ଚେଇ ଦେବ ଠିକ୍ ତୋ ଲକ୍ଷ୍ୟ ସ୍ଥଳ ରେ। ବ୍ୟସ୍ତ କାହିଁ ହେଉଛୁ? ଏଥର ନ ହେଲେ ଆର ଥର କୁ ହେବ। ଧୈର୍ଯ୍ୟ ରଖ, ସବୁ ଠିକ୍ ହେବ। "...ଏସ୍ ଏସ୍ ଏନେ✍️..

- ହଁ ଠିକ୍ ଯେ... ହେଲେ ବାପା?? ଏଇ ବୟସରେ ସେ ଏତେ ପରିଶ୍ରମ କରୁଛନ୍ତି ଆଉ ମୁଁ???
- କଣ ....ତୁ? ଯଦି ଏତେ କଥା ଭାବୁଛୁ, ଚାକିରି ଭରସାରେ କାହିଁ ବସିଛୁ? ସାମଲ ଘର ସାଙ୍ଗେ ୯ଗୁଣ୍ଠ ବିଲ ବଦଳ କରି, ବାଡି ତଳକୁ ୭ ଗୁଣ୍ଠ ବିଲ ରଖିଛି। ତାକୁଇ ଚାଷ କରି ଖାଇବୁ। ଏତେ ବଡ଼ ଦୁନିଆରେ ତୋର ଏଇ ଚାଖଣ୍ଡେ ପେଟ କଣ ଅପୋଷା ରହି ଯିବ?
- "ହେଲେ, ବୋଉ ଏଇ ଚାଷ ବାସ କଣ ମୁଁ ପାରିବି?" ଆକାଶ କୁ ଚାହିଁ ମୁଁ ପ୍ରଶ୍ନ କଲି ।
- କାହିଁ ପାରିବୁନି? ମାଟି ସାଙ୍ଗେ ମାଟି ହେବାକୁ କଣ ତୋତେ ଲାଜ ଲାଗୁଛି? ଚାକିରି କଲେ, ପର ଦୁଆରେ ଖଟିବୁ, ଏଠି ନିଜ ମାଟି ପାଇଁ କିଛି କରିବାକୁ ଏତେ କୁଣ୍ଠା କାହିଁ ଶୁଣେ?
- ମୁଁ ଚାଷ କାମ କଲେ, ବାପା....ଖୁସି ହେବେ ତ?
- ବାପା ଙ୍କୁ ମୁଁ ବୁଝେଇଦେବି। ତୁ ମନ ଦେଇ ଏବେ ପଢାପଢି କର, ନହେଲେ ଦେଖିବା।
ବିଶ୍ଵ ବିଦ୍ୟାଳୟ ର ଡ୍ରାମାଟିକ୍ ସେକ୍ରେଟରି , ଅଭିମନ୍ୟୁ ଦାସ, ଖଟିବି ବିଲ ରେ, ପାଣି କାଦୁଅ ରେ ଗେଣ୍ଡା କୋଚିଆଙ୍କ ସାଙ୍ଗେ ନାଚିବ, ବଳଦ ଙ୍କୁ ସଂଳାପ ଶିଖେଇବ! ଧେତ୍... ମୋ ଦେଇ ଏ କାମ ହେଇ ପାରିବନି। ବୋଉ ଟା, ଗଜ ମୂର୍ଖ, ସେ କଣ ଜାଣେ?ଯେତେବେଳେ ଯାହା ମନକୁ ଆସିଲା କହିଦେଲା।...ଏସ୍ ଏସ୍ ଏନେ✍️..

ଠିକ୍ ଏତିକି ବେଳେ, ଲାଇନ୍ ଚାଲିଗଲା। ଚୁଲିର ରଡ ନିଆଁ କୁ ଛାଡିଦେଲେ ଚାରି ଆଡ, ଅନ୍ଧାର। ଆକାଶ ରେ ବି ମେଘ ଭର୍ତ୍ତି। ବିଜୁଳି ସାଙ୍ଗକୁ ଘଡଘଡି, କୁଆଡେ ଥିଲା, ଏ ମେଘ? ବୋଉ କହିଲା, "ପୁଅରେ! ଯା, ସେ ଘରୁ କାନ୍ଥରେ ଟଙ୍ଗା ହୋଇଥିବା ବ୍ୟାଗ୍ ରୁ ବାପା ଙ୍କ ଟର୍ଚ୍ଚ ଟା ଆଣିବୁ। ବୋଧେ, ବଉଳା ର ବାଛୁରୀ ଟା ମେଘ ଦେଖି ଡରି ଯାଇଛି।" ମୁଁ ଅନ୍ଧାର ରେ ଅଣ୍ଡାଳି ଅଣ୍ଡାଳି ଗଲି ଆର ଘର, କାନ୍ଥ ପାଖକୁ। ବ୍ୟାଗ ଭିତରୁ ବାହାର କଲି ବାପା ଙ୍କ ଟର୍ଚ୍ଚ, ତା ସାଙ୍ଗେ ସାଙ୍ଗେ ବାହାରି ଆସିଲା ଗୋଟେ ପର୍ସ। ଟର୍ଚ୍ଚ ଜଳେଇ ଦେଖେ ତ ଶହେ ଟଙ୍କିଆ ଆଉ ପଚାଶ ଟଙ୍କିଆ ରେ ଭର୍ତ୍ତି। ସେପଟୁ ବୋଉ ପାଟି କଲା, ଆରେ ପାଇଲୁ ନା ନାଇଁ ?...ଏସ୍ ଏସ୍ ଏନେ✍️..

- ହଁ ବୋଉ ଯାଉଛି।

ବାହାରେ ବନ୍ଧା ହୋଇଥିବା ବାଛୁରୀ କୁ ବୋଉ ନେଇ ବାନ୍ଧି ଆସିଲା ଗୁହାଳରେ। ଆସି ଲଣ୍ଠନ ଲଗେଇଲା। ମୁଁ କହିଲି, "ବାପା ଙ୍କ ପିନ୍ଧା ସାର୍ଟ ଟା ଚିରି ଯାଇଛି, କେବେ ଠୁ, ସେ ସେଇଟା ପିନ୍ଧି ଯାଉଛନ୍ତି କାମକୁ। ତୁ କହୁନୁ, ନୂଆ ଟେ ଆଣିବେ। "
- ସେ କେବେ ଆଣନ୍ତି ନିଜ ଲାଗି କିଛି ଦେଖିଛୁ? କହି କହି ଏଇ ଥର ହାଟ ପାଳି ରୁ, ଚପଲ ହଲେ କିଣି ଦେଇଛି। ମୋ କ୍ଷୀର ବିକା ପଇସାରୁ।...ଏସ୍ ଏସ୍ ଏନେ✍️..

- କାହିଁ, ତାଙ୍କ ପାଖେ କଣ ପଇସା ନାଇଁ? ମୁଁ ପଚାରିଲି ନ ଜାଣିଲା ପରି।
- ଯାହା ତ ଦରମା ମିଳେ, ଘର ଖର୍ଚ୍ଚ, ତୋ ପାଠ ପଢା, ବିଲ କାମ, ବେଭାର ଆଚାର ରେ ଯାଏ। କୁଆଡୁ ବଳିବ ଯେ ?...ଏସ୍ ଏସ୍ ଏନେ✍️..

ମଧ୍ୟବିତ୍ତ ପରିବାରର ଏଇ ତ କାହାଣୀ। ଏଠି କ୍ଷୀରି ଖାଇବାକୁ ମନ କଲେ, ଦୁଇ ଦିନ ନାଲି ଚା ପିଇବାକୁ ପଡେ। ହେଲେ, ବାପା ଏ ଟଙ୍କା କାହିଁ ରଖିଛନ୍ତି? ନିଜ ପାଇଁ ଜାମା ଟିଏ ନ କିଣି! ବାପା, ମୋ ଲାଗି ଏକ ନିରାପଦ ଆଶ୍ରୟ ବୋଲି ଜାଣିଥିଲି, ହେଲେ ଆଜି ଦେଖୁଛି, ସେ ବତୀଘର ହୋଇ ଠିଆ ହୋଇଛନ୍ତି ମୋ ପାଇଁ।...ଏସ୍ ଏସ୍ ଏନେ✍️..

ମୋର ଏବେ ସେଦିନ କଥା ମନେ ଅଛି ଝାପ୍ସା। ବୋଉ କୁହେ, ଜ୍ୟେଷ୍ଠ ନ ସରୁଣୁ ମୌସୁମୀ ଚାଲି ଆସିଲା ସେ ଥର, ରାତି ସାରା ମେଘ, ଠିକ୍ ଆଜି ପରି। ବିଜୁଳି ଘଡଘଡି ସାଙ୍ଗକୁ ବର୍ଷା। କୂଅ ଦୌଡ଼ି ଠୁ ବି ମୋଟା ସେ ଧାରା। ବିହୀ ବୋଧେ ପ୍ରଳୟ ରଚିଥିଲା ସେଦିନ।...ଏସ୍ ଏସ୍ ଏନେ✍️..

ଓଳି ତଳେ ପାଣି। ଅଗଣାର ପାଣି, ପିଣ୍ଡା ଉପରକୁ ଉଠୁ ଥାଏ। ଘର ଭିତରେ ମଶାରୀ ଟାଣି ଶୋଇଥାଉ । ବାପା ବୋଉ ଆଉ ମୁଁ। ମୋ ବୟସ ସେତେବେଳେ ତିନି କି ଚାରି ବର୍ଷ ହେବ। ହଠାତ୍, ବାପା ଚିତ୍କାର କରି ଉଠି ବସିଲେ, ତାଙ୍କ ପାଟି ଶୁଣି ମୁଁ ଆଉ ବୋଉ ଚମକି ପଡ଼ିଲୁ। ତକିଆ ତଳୁ ଟର୍ଚ୍ଚ କାଢି ଦେଖନ୍ତି ତ ଆମ ଶେଯ ରେ ବିରାଟ କଙ୍କଡା ବିଛା। ବୋଉ ଉଠିପଡ଼ି ଲଣ୍ଠନ ତେଜି ଦେଲା। ବାପା ଚାଦର ଟିକୁ ଟାଣି ନେଲେ, ବାହାରକୁ। ଏବେ ବି ବାହାରେ ବର୍ଷା ହେଉଥାଏ। ମୁଁ ବୋଉ କୁ ଜାବୁଡ଼ି ଧରି ଠିଆ ହୋଇଥାଏ କୋଣରେ। ବାପା ଆସି ଟର୍ଚ୍ଚ ଜଳେଇ ଦେଖିଲେ ଆଉ ଥରେ, ବୋଉ ପଚାରିଲା, "ମାରିଦେଲ" !!! ବାପା କହିଲେ, "ନା... ବାଟ ଭୁଲି ଚାଲି ଆସିଛି ବିଚରା, ଛାଡ଼ି ଦେଲି ବାହାରେ, ଏବେ ସେ ଟା ରାସ୍ତା ଖୋଜିନେବ। ଚାଲ, ଆମେ ଶୋଇବା, ସକାଳେ ଅନେକ କାମ । "କଙ୍କଡା ବିଛା ସିନା ଚାଲିଗଲା, ହେଲେ ମୁଁ ତା ବିରାଟ ରୂପ ଆଉ ଟା ଲାହୁଡ଼ ଦେଖି ଡରି ଯାଇଥିଲି। ମୋତେ ଖୁବ୍ ଜୋରରେ କାନ୍ଦ ମାଡ଼ିଲା। ମୁଁ ବାପା ଙ୍କୁ ଧରି ଖୁବ୍ କାନ୍ଦିଲି। ଯଦି ସେ ବାପା ଙ୍କ କିଛି କ୍ଷତି କରିଥାନ୍ତା? ମୋତେ ମୋ ଚାରିପାଖ ଅନ୍ଧାର ଦିଶିଲା। ବାପାଙ୍କ ବିନା ମୁଁ କେମିତି ରହିବି, ସେଇ କଥା ଭାବି ଆହୁରି କାନ୍ଦ ଲାଗିଲା, ବୋଉ ବୁଝେଇଲା, ମୋତେ ନେଇ ଛାତିରେ ଜାକି ଶୋଇବାକୁ ଚେଷ୍ଟା କଲା, ହେଲେ ମୋ କାନ୍ଦ ବନ୍ଦ ହେଉ ନଥାଏ। ବୋଉ ପାଖରୁ ଉଠି ଯାଇ ବାପା ଙ୍କୁ କୁଣ୍ଢେଇ ଧରି ଆହୁରି କାନ୍ଦିଲି। ବାପା ମୋତେ କାଖ କରି ନେଇଗଲେ, ଝରକା ପାଖକୁ, ଥଣ୍ଡା ପବନ ଆସୁଥାଏ , ମୋ ମଥା ଆଉଁସି ପିଠି ଥାପୁଡେଇ ଦେଲେ। ମୋତେ କୋଳରେ ଧରି ଛାତି କୁ ଆଉଜି ବସିଲେ,କାନ୍ଥରେ ଭରା ଦେଇ। କେତେ ଗପ କହିଲେ। ଗୁଣୁଗୁଣ ଗୀତ ପଦେ ଗାଇଲେ। ଗାମୁଛା ରେ ମୋତେ ବିଞ୍ଚି ଦେଲେ। ବୋଉ କୁହେ ମୁଁ ସକେଇ ହେଇ ଶୋଇ ପଡ଼ିଛି। ବୋଉ ବି ବାପା ଙ୍କ ଗୋଡ ପାଖେ ଘୂମେଇ ପଡ଼ିଛି କେତେବେଳେ।...ଏସ୍ ଏସ୍ ଏନେ✍️..

ସକାଳେ ବାପା ସାଇକେଲ ରେ ନେଇଗଲେ ମୋତେ, ମଙ୍ଗଳା ପୀଠ କୁ, ପୂଜାରୀ ଙ୍କୁ କହି ଦେଉଁରିଆ ଟେ ଆଣି ବାନ୍ଧି ଦେଲେ ମୋ ଗଳାରେ। ଆସିଲା ବେଳେ ଗୁଡ଼ିଆ ଦୋକାନରୁ ଜିଲାପୀ ଖୋଈ ମୋତେ ପଚାରିଲେ, "ଆଉ ଡର ଲାଗୁଛି? "ମୁଁ ନା ରେ ମୁଣ୍ଡ ହଲେଇଲି। ବାପା ଙ୍କ ଛାତିର ନିର୍ଭୟ ଆଶ୍ରୟ ଥିଲେ ଡର ଆଉ କଣ ଯେ? ସେ ବିଞ୍ଚିଥିବା ଗାମୁଛା ରୁ ତାଙ୍କ ଦେହ ର ବାସ୍ନା ଆଜି ବି ମନେ ଅଛି। ସତରେ ସେ ପବନରେ ଏତେ ଆନ୍ତରିକତା, ଏତେ ଅଭୟ ମନ୍ତ୍ର ଥିଲା ଯେ ଡର କୁଆଡେ ପଳେଇଲା।
ଆଉ ତା ସାଙ୍ଗେ ପଳେଇଲା ମୋ ପିଲାଦିନ।...ଏସ୍ ଏସ୍ ଏନେ✍️..

ବହୁତ୍ ରାତିରେ ଫେରିଲେ ବାପା, ସେଇ ପୁରୁଣା ସାଇକେଲ କୁ ପିଣ୍ଡା କୁ ଉଠେଇ, କାମ ସାରି ଶେଯ କୁ ଗଲା ବେଳକୁ ମୁଁ ଯାଇ ପହଞ୍ଚିଲି, ତାଙ୍କ ପାଖେ। ସେ ସେମିତି ଶୋଇ ରହି ମୋତେ ପଚାରିଲେ," କିଛି କହିବୁ?"...ଏସ୍ ଏସ୍ ଏନେ✍️..

- ନା...
ବାପା ଉଠି ବସିଲେ, "କଣ ହେଇଛି ତୋର? ପଢାପଢି ଠିକ୍ ଚାଲିଛି ନା? ତୁ କହୁଥିଲୁ, ଦୂରଦର୍ଶନ ରେ କାମ କରିବୁ ବୋଲି , କଣ ହେଲା? ସେଠି ବଡ ବଡ ଲୋକ ସବୁ ଆସିବେ, କେତେ ଅଭିନେତା, ରାଜନେତା, ଜ୍ଞାନୀ , ଗୁଣି ଲୋକ ଙ୍କ ସାଙ୍ଗେ କଥା ହେବୁ। ତୋର ଭଲ ଜୋତା ହଲେ ତ ମୁଁ ଦେଖୁନି, ଯାହା କଲେଜ ବେଳେ କିଣିଥିଲି ସେତିକି! ସେ କାନ୍ଥରେ ଟଙ୍ଗା ହୋଇଥିବା ବ୍ୟାଗ୍ ରେ କିଛି ଟଙ୍କା ଅଛି। ତୋର ହେଇଯିବ ବୋଧେ। "...ଏସ୍ ଏସ୍ ଏନେ✍️..

- ନା ବାପା.... ମୋର ସେ ଟଙ୍କା ଦରକାର ନାହିଁ। ମୁଁ ଭାବୁଚି ଚାଷ କରିବି।

ବଡବଡ ଆଖିରେ ଚାହିଁଲେ ମୋତେ ବାପା। କିଛି ସମୟ ଚୁପ୍ ରହି ପୁଣି କହିଲେ, "ଚାଷ କାମ ମନ୍ଦ ନୁହେଁ। ହେଲେ ତୋ ଭିତରେ ମୁଁ ମୋ ନିଜକୁ ଦେଖେ, ଯୁବକ ବେଳେ ଅନେକ ନାଟକ, ଡ୍ରାମା ରେ ପାର୍ଟ କରିଛି, ଛୋଟ ଛୋଟ ଚରିତ୍ରରେ ଅଭିନୟ କରିଛି। ମୁଁ ତୋ ଭିତରେ ସେଇ କଳା ଟି ଦେଖିଲି। ଭାବିଥିଲି, ମୁଁ ନ ହେଲି ନାଇଁ, ମୋ ପୁଅ କୁ ଅଭିନୟରେ ସ୍ଵୀକୃତି ମିଳୁ। ତେଣିକି ତୋ ଇଚ୍ଛା। "...ଏସ୍ ଏସ୍ ଏନେ✍️..

ଆଖି ଛଳଛଳ ହୋଇ ଆସିଲା ମୋର। ବାପା ଙ୍କ ପାଦ କୁ ଚାହିଁ। ସେ କିନ୍ତୁ ଶୋଇଗଲେ ମୁଁହ ବୁଲେଇ। ମୁଁ ଦେଖୁଥିଲି ମୁଁ ବୁଣିଥିବା ସୋରିଷ କ୍ଷେତ ରେ ସୂର୍ଯ୍ୟମୁଖୀ ହୋଇ ବାପା ଠିଆ ହେଇଛନ୍ତି। ମୋ ଶାଗ ପଟାଳି ର ଶେଷ ମୁଣ୍ଡରେ ବାପା ପାଣି ମଡାଉଛନ୍ତି, ଆଉ ମୋତେ କହୁଛନ୍ତି, "ଏ କାମ ତୋର ନୁହେଁ ଅଭି! ଯା... ରୂପେଲି ପରଦାରେ ନିଜ ପାଇଁ ଜାଗା ଟେ ପକ୍କା କର।" ମୁଁ କରିଥିବା ପାଳଭୂତ ଭିତରୁ ବାପା ସେଇ ପୁରୁଣା ଟର୍ଚ୍ଚ ଜଳେଇ ମୋତେ କହୁଛନ୍ତି, "କଙ୍କଡା ବିଛା ଦେଖି ଡରି ଯିବୁନି ଅଭି, ତୋତେ ଅଭିନୟ ରେ କୁମ୍ଭୀର ସହ ଲଢ଼ିବାକୁ ହେବ। "ମୁଁ ଦେଖି ପାରୁଥିଲି ମୋ ଭବିଷ୍ୟ, ମୋ ସ୍ବପ୍ନ, ମୋ କଳା କୁ ଅନ୍ଧାର ରାତିରେ ମୋ ଚଲାପଥରେ ଦିହୁଡ଼ି ଧରି ଆଲୁଅ ଦେଖାଉଥିବା ମୋ ବାପା ଙ୍କୁ।...ଏସ୍ ଏସ୍ ଏନେ✍️..