...

12 views

ଜୀବନ ଓ ମୁଁ
କାଲି ଜୀବନ ପଥେ ଜୀବନ ସହ
ଅନେକ ଦିନ ପରେ ଭେଟ ହେଲା
ମୁଁ ମୁହଁ ବୁଲାଇ ଚାଲି ଆସିବା ବେଳେ
ସେ ମୋତେ ଦେଖି ହସିଦେଲା
ହାତ ଧରି ମୋର କହିଲା
ଏତେ ଜଲଦି ଚାଲିଯିବୁ
ମୁଁ ଅଭିମାନେ କହିଲି
ତୁ ତ ମୋତେ ଦେଖି ହସୁଛୁ
ମୁଁ କାହିଁକି ତୋ ପାଖେ ଅଟକିବି
ସେ ପୁଣି ହସିଲା ହସିଦେଇ କହିଲା
ତୋ କୋହ ମିଶା ଅଭିମାନ ଦେଖି ଖୁସି ଲାଗିଲା
ମୁଁ ପୁଣି ତାକୁ କହିଲି ଆଜି କାହିଁକି ଆସିଛୁ
ସେ କହିଲା ତୋ ମଥା ଆଉଁସି ଦେଇ
ତୋତେ ଶାନ୍ତିର ନିଦରେ ଶୁଆଇ ଦେବାକୁ ଆସିଛି
ମୁଁ ତାକୁ କହିଲି
ମୁଁ ତ ତୋ ଉପରେ ଅଭିମାନ କରିଛି
ସେ କହିଲା ତୋ ଆଖିରେ ଲୁହ ଦେଖି
ମୁଁ ବି ତୋ ଉପରେ ରାଗିଛି
ଶେଷରେ ତାକୁ ପଚାରିଦେଲି
ତୁ ମୋତେ ସବୁବେଳେ ଏତେ କଷ୍ଟ କାହିଁକି ଦେଉଛୁ
ହସିଦେଲା ସେ ମନଖୋଲା ହସ
ହସି ହସି କହିଲା ଆଲୋ ପାଗେଳୀ
ମୁଁ ପରା ଜୀବନ ମୋର ଅନେକ ରୂପ
ମୁଁ କେବଳ ତୋତେ ବଞ୍ଚିବା ଶିଖାଉଛି
ହସ କାନ୍ଦର ଖେଳ ଭିତରେ
ତୋତେ ଜିଁଇବା ଶିଖାଉଛି।।
************