...

1 views

ଭୟ
ବସ୍ ଦେଇଥିବା ଅତିରିକ୍ତ କାମତକ ଶେଷ କରି, ଅଫିସ୍ କାନ୍ଥ ଘଣ୍ଟା ଉପରେ ନଜର ପକାଇଲେ ସୁବୋଧ ବାବୁ। ସମୟ ସନ୍ଧ୍ୟା ସାଢ଼େ ସାତ ଅତିକ୍ରାନ୍ତ କରି ସାରିଲାଣି । ଓଃ ହୋ...ଆଜି ବି ଡେରି ହେଇଗଲା!! ସିଆଡେ ସରିତା ରାଗି ପାଜି ପୁରା ମା ଦୂର୍ଗାଙ୍କ ରୂପ ଧାରଣ କରି ସାରିବଣିି ?! ନା ଆଉ ବସି ହେବନି ଏଇଆ ଭାବି ଫାଇଲ୍ ପତ୍ର ସଜାଡିଲେ ସୁବୋଧ ବାବୁ ଆଉ ଶେଷରେ କଂପ୍ୟୁଟର ବନ୍ଦ କରି ହାତରେ ହେଲମେଟ ଧରି ଅଫିସ ବାହାରକୁ ବାହାରିଲେ। ବସ୍ ତ ଚାଲି ଗଲେଣି ସାତଟା ବେଳୁ ତେଣୁ ଆଉ ଡେରି ନ କରି ବିନା ଦ୍ବିଧାରେ ଅଫିସ ଛାଡ଼ିଲେ ସେ। ଘରେ ପହଞ୍ଚି ଭୟ ଆଉ ଶଙ୍କା ରେ ବାରଣ୍ଡା ରେ ବାଇକ୍ ରଖିଲେ ଏବଂ କଲିଂ ବେଲ ଟିପିଲେ। ସେ ଜାଣିଥିଲେ ସରିତା ହିଁ କବାଟ ଖୋଲିବ ଆଉ ସବୁଦିନ ଭଳି ଆଜି ବି ପାଟି କରି ଦି ଚାରି ପଦ କଥା ଶୁଣେଇବ ଆଉ ପାଖ ପଡୋଶୀଙ୍କ ଉଦାହରଣ ଦେଇ ମୁଁହ ଫୁଲେଇ ବସିବ ବାକି ସନ୍ଧ୍ୟା ତକ।

କିନ୍ତୁ ଏ କଣ !! ଆଜି ସେମିତି କିଛି ଘଟିଲାନି, ତାଙ୍କର ସମସ୍ତ ଭୟ ଆଉ ଆଶଙ୍କାରେ ପୂର୍ଣ୍ଣଛେଦ ପକାଇ ସରିତା ସ୍ମିତହାସ୍ୟ ଦେଲା ଆଉ କହିଲା ତୁମେ ଜଲଦି ଫ୍ରେସ ହେଇଯାଅ ମୁଁ ତୁମ ପାଇଁ ଚାହା ଆଉ ଜଳଖିଆ ନେଇ ଆସୁଛି। ଏହା କହି ସେ ରୋଷେଇ ଘର ଆଡ଼କୁ ଚାଲିଗଲା।

ସୁବୋଧ ବାବୁ ଯାହା ଦେଖୁଥାନ୍ତି ଆଉ ଯାହା ଶୁଣୁ ଥାଆନ୍ତି ତାହା ତାଙ୍କୁ କାହିଁକି ଅବିଶ୍ବାସ ଓ ସ୍ବପ୍ନ ଭଳି ଲାଗୁଥାଏ। ଅବିଶ୍ବାସ ରେ ନିଜକୁ ଚିମୁଟି ପକେଇଲେ ସେ...ଓଃ ହୋ...ନା ସେ ଯେ ସ୍ଵପ୍ନ ଦେଖୁ ନାହାନ୍ତି। କିଛି ସମୟ ପୂର୍ବରୁ ଘଟି ଯାଇଥିବା ଘଟଣା ଟି ପୁରାପୁରି ବାସ୍ତବିକ ଆଉ ସତ। ସୁବୋଧ ବାବୁଙ୍କୁ କାହିଁ କେଜାଣି ଅଜଣା ଭୟ ମାଡି ବସିଲା...ଏଇଟା କଣ ଝଡ଼, ତୋଫାନ ଆସିବା ପୂର୍ବର ନିଶଦ୍ଧତା ତ ନୁହେଁ?!

ମନର ଭୟ ଆଉ ଆଶଙ୍କା କୁ ଚାପିଧରି ସୁବୋଧ ବାବୁ ଜଲଦି ଜଲଦି ଫ୍ରେସ ହେଇ ଗଲେ ଆଉ ଡ୍ରଇଂ ରୁମକୁ ଆସି ତାଙ୍କର ସବୁ ଦିନ ସନ୍ଧ୍ୟାର ସାଥୀ ଖବରକାଗଜ ଟିକୁ ଖୋଜିବାକୁ ଲାଗିଲେ। ସେ ପଟୁ ସରିତା ଟ୍ରେ ରେ ଚାହା ଆଉ ପକୋଡ଼ି ନେଇ ଆସିଲେ ଏବଂ ସୁବୋଧ ବାବୁ ଙ୍କ ଆଡେ ପୁଣି ଗୋଟେ ସ୍ମିତ ହସ ଫିଙ୍ଗି କହିଲେ କଣ ଗୋଟେ ଦିନ ଖବରକାଗଜ ନ ପଢ଼ିଲେ ହେବନି ?! କେବେ କେବେ ଦିନେ ଅଧେ ମୋ ସାଙ୍ଗରେ ରେ ବି ପଦେ ଦି ପଦ କଥା ବି ତ ହୁଅ।

ସୁବୋଧ ବାବୁ ନିଜ କାନ କୁ ବିଶ୍ୱାସ ନ କଲେ ବି ଏତେ ଦିନ ପରେ ଆସିଥିବା ଏହି ସୁନ୍ଦର ସନ୍ଧ୍ୟା କୁ ଖରାପ ନ କରିବା ଭାବନା ନେଇ ଯାଇ ସୋଫାରେ ବସିଲେ ଆଉ କିଛି ସମୟ ଭିତରେ ଉଭୟ ସ୍ବାମୀ, ସ୍ତ୍ରୀ କଥାବାର୍ତ୍ତାରେ ମଜି ଗଲେ।

ବହୁଦିନ ପରେ ଗତ ସନ୍ଧ୍ୟା ଓ ରାତି ଟି ଭଲରେ କଟି ଥିବାରୁ, ସୁବୋଧ ବାବୁ ଖବରକାଗଜ କଥା ପୁରା ମନରୁ ପାଶୋରି ଦେଇଥିଲେ। କିନ୍ତୁ ସକାଳେ ଯେତେ ବେଳେ ସୋଫା ତଳୁ ଖବରକାଗଜଟିକୁ ପାଇଲେ ସେ ଖୁସିରେ ପଢ଼ିବା ଆରମ୍ଭ କଲେ ଆଉ ହଠାତ୍ ତାଙ୍କ ଦୃଷ୍ଟି ଯାଇପଡ଼ିଲା, ପ୍ରଥମ ପୃଷ୍ଠାର ଶୀର୍ଷକ ଉପରେ। ସେ ଖବର ଟିକୁ ପଢ଼ି ନିଜ ହସ କୁ ଚାପି ରଖି ପାରିଲେନି ଆଉ ସଙ୍ଗେ ସଙ୍ଗେ ବୁଝିଗଲେ ଯେ ଗତ କାଲି ସନ୍ଧ୍ୟା ଟି ଭଲରେ କଟିବାର କାରଣ ଟି କଣ।

ଆଉ ଖବରଟି ଏହି ପରି ଥିଲା :
"ଉଚ୍ଚ ଶିକ୍ଷିତ ସ୍ଵାମୀଙ୍କ ଉନ୍ମକ୍ତ କାଣ୍ଡ" ସବୁ ବେଳେ ବିରକ୍ତି ଓ ଚିଡ଼ିଚିଡ ହେଉଥିବା ପତ୍ନୀଙ୍କୁ ପିଟି ପିଟି ଡାକ୍ତରଖାନା ପଠାଇଲେ।

ବି.ଦ୍ର. : ଏଥିରୁ ଆମେ ଉପନୀତ ହେଲୁ ଯେ, ଉଭୟ ସ୍ବାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ଉଭୟଙ୍କ ପ୍ରତି ସ୍ନେହ, ପ୍ରେମ ଓ ସମ୍ମାନ ରହିବା ସହିତ ଭୟ ବି ରହିବା ନିହାତି ଜରୁରୀ।
© Sambit06