...

2 views

- ସେ ଆଉ ମୁଁ -
ସେ_ଆଉ_ମୁଁ
- ସୌନ୍ଦର୍ଯ୍ୟ -

ସେ:- ଏଇ ପ୍ରିୟା... ତମେ ଆଜି ବହୁତ ସୁନ୍ଦର ଦିଶୁଛ।
ମୁଁ:- ସତରେ ? ହେଲେ ମୁଁ କିନ୍ତୁ ଆଜି ଆଦୌ କିଛି ଲଗେଇନି ମୁହଁରେ ।

ସେ:- ତମେ ପ୍ରକୃତରେ ବହୁତ୍ ସୁନ୍ଦର , ତେଣୁ ପ୍ରସାଧନର କୌଣସି ଆବଶ୍ୟକତା ନାହିଁ।
ମୁଁ:- ଏଇ ଡ୍ରେସ୍ ପାଇଁ ବୋଧେ ମୁଁ ବେଶି ସୁନ୍ଦର ଦିଶୁଛି ।
ସେ:- ନା... ମୋ ଆଖି ପାଇଁ । ମୋ ନଜରରେ ତମେ ଖୁବ ସୁନ୍ଦର ।

ମୁଁ:- (ମିଛ ଅଭିମାନ ସହ ମୁଁହ ଫୁଲେଇ) ତା ମାନେ ମୁଁ ସୁନ୍ଦର ଦେଖିବାକୁ ନୁହେଁ ? ତମ ନଜରରେ କେବଳ...
ସେ:- ଆରେ.... ପ୍ରିୟା ସେମିତି ନୁହେଁ...ଜାଣିଛ , ଆଲବର୍ଟ ଆଇନଷ୍ଟାଇନ ଥରେ କ'ଣ କହିଥିଲେ ?
" Look Deep Into Nature And Then You Will Understand EveryThing Better".
ଭଗବାନଙ୍କ ସୃଷ୍ଟିରେ ପ୍ରକୃତିର ପ୍ରତ୍ୟେକ ଜୀବ ନିଜ ନିଜ ରଙ୍ଗରେ , ରୂପରେ , ଗୁଣରେ ଖୁବ୍ ସୁନ୍ଦର। ପ୍ରକୃତି ଓ ପୁରୁଷର ସୌନ୍ଦର୍ଯ୍ୟକୁ ନେଇ ଏଇ ଜୀବଜଗତର ସମୟ ହୋଇ ଉଠିଛି।

ମୁଁ:- ତେବେ ପୁରୁଷ ବେଶୀ ସୁନ୍ଦର୍ ନା ପ୍ରକୃତି ?
ସେ:- ପୁରୁଷ ତା'ର ଦମ୍ଭ , ଦର୍ପ , ଗାମ୍ଭୀର୍ଯ୍ୟ ଓ ଅହଂକୁ ନେଇ ସୁନ୍ଦର ଓ ପ୍ରକୃତି /ନାରୀ ତା'ର ରୂପରଙ୍ଗ ସହ , ସହନଶୀଳତା , ବିନମ୍ରତା , ଶାଳୀନତା , ଧୈର୍ଯ୍ୟକୁ ନେଇ ସୁନ୍ଦର୍।

ମୁଁ :- ( ଦୀର୍ଘ ଶ୍ଵାସ ସହ) ତେବେ ଏହି ସମାଜ କାହିଁକି କହେ ନାରୀ ଠୁଁ ପୁରୁଷ ବେଶୀ ସୁନ୍ଦର ?
ସେ:- ଆମ ପ୍ରାଣୀ ଜଗତରେ କେବଳ ମନୁଷ୍ୟ ବ୍ୟତିରକେ ପ୍ରତ୍ୟେକ ପୁରୁଷ ପ୍ରାଣୀ , ସ୍ତ୍ରୀ ପ୍ରାଣୀଠାରୁ ଢେର୍ ସୁନ୍ଦର ଦେଖିବାକୁ । ଏଇ ଯେମିତି ସିଂହ ଓ ସିଂହୀ , ମୟୂର ଓ ମୟୂରୀ , ହରିଣ ଓ ହରିଣୀ ଇତ୍ୟାଦି। କିନ୍ତୁ ମନୁଷ୍ୟ କ୍ଷେତ୍ରରେ ଏହା ଭିନ୍ନ ଦୃଶ୍ୟମାନ ହୋଇଥାଏ ।

ମୁଁ :- କେମିତି?
ସେ:- ଏଇ ଯେମିତି ମୟୂର ଓ ମୟୂରୀ ମଧ୍ୟରେ ମୟୂର ସମସ୍ତଙ୍କର ପ୍ରିୟ କାରଣ ତା'ର ରଙ୍ଗୀନ ଚିତ୍ରଶାଳା ପରି ପୁଚ୍ଛ ପାଇଁ। ଈଶ୍ୱର ହେଉଛନ୍ତି ସେହି ଅନନ୍ୟ କାରିଗର ଯିଏ ମୟୂର ଦେହରେ ଆଙ୍କିଦେଇଛନ୍ତି ଅପୂର୍ବ କାରିଗରୀ । ସିଂହୀ ଠାରୁ ସିଂହ ଅଧିକ ସୁନ୍ଦର ତା'ର ମୁଖ ମଣ୍ଡଳରେ ଥିବା କେଶ ଗୁଚ୍ଛ ପାଇଁ । କିନ୍ତୁ ନାରୀଟି ପୁରୁଷଠୁଁ ଢେର୍ ଗୁଣରେ ସୁନ୍ଦର୍ କପାଳଠୁ ତଳିପା ଯାଏ । ଏଇ ଯେମିତି ତମେ ମୋ ଠୁଁ ସୁନ୍ଦର୍ ।

ମୁଁ:- ଧେତ୍....ତମେ ବହୁତ୍ ମିଛ କହୁଛ। ମୁଁ କେଉଁଠି ସୁନ୍ଦର୍ ଯେ , ତମେ ବେଶୀ ସୁନ୍ଦର୍ ।
ସେ:- ଜାଣିଛ ଆଉ ଗୋଟେ କଥା , ନାରୀକୁ ତା'ର ଯେତେ ଅଧିକ ପ୍ରଶଂସା କରିବ ସେ ସେତେ ଖୁସି ହେବ। ନାରୀଟିଏ ସର୍ବଦା ନିଜ ପ୍ରଶଂସାର ତୃଷ୍ଣାରେ ତୃଷାର୍ତ୍ତ । ସେ ଯେତେ ନିଜର ପ୍ରଶଂସା ଶୁଣେ ସେତେ ଅଧିକରୁ ଅଧିକ ପ୍ରେମ କରି ବସେ । ସେ ନିଜକୁ ଭଲ ପାଇବା ସହ ପ୍ରଶଂସା କରୁଥିବା ମଣିଷଟିକୁ ମଧ୍ୟ ଭଲ ପାଇ ବସେ ।

ମୁଁ:- ତେବେ ତମେ କ'ଣ ଭାବୁଛ , ତମେ ମୋ ପ୍ରଶଂସା କରୁଛ ବୋଲି ମୁଁ ତମକୁ ଭଲ ପାଉଛି ?
ସେ :- ନା ମୁଁ ଆଦୌ ସେକଥା କହୁନାହିଁ । ମୁଁ ତମର ସତରେ ପ୍ରଶଂସା କରୁଛି । ପୁରୁଷ ଓ ନାରୀ ମଧ୍ୟରେ ନାରୀ ହିଁ ସୁନ୍ଦର୍ ଏକଥା ତମକୁ ବୁଝାଇବାକୁ ଚେଷ୍ଟା କରୁଛି ।
ଦେଖ ତମ କେତେ ଘନ , କୃଷ୍ଣ କେଶରାଶିକୁ ରେଶମୀ ସୂତା ପରି ନରମ । ଦେଖ ତମ କପାଳକୁ ଆଉ ମୋ କପାଳକୁ , ପୁରୁଷର କପାଳ ପ୍ରଶସ୍ତ କିନ୍ତୁ ନାରୀର କପାଳ ସଂକୀର୍ଣ୍ଣ , କମନୀୟ । ନାରୀର ଭ୍ରୁଲତାକୁ ଈଶ୍ୱର କେମିତି ଧନୁପରି ସୁନ୍ଦର୍ କରି ଗଢି ତୋଳିଛନ୍ତି । ପୁରୁଷର ଶରୀର ଗଢ଼ଣ ଅପେକ୍ଷା ନାରୀର ଶରୀର ଗଢ଼ଣରେ ରହିଛି ଅପୂର୍ବ କାନ୍ତି। କାବ୍ୟ ଜଗତର ମହାରଥୀମାନଙ୍କ କାଳଜୟୀ ଲେଖନୀରୁ ଝରି ପଡ଼ିଛି ନାରୀର ସୌନ୍ଦର୍ଯ୍ୟ ବର୍ଣ୍ଣନା । ନାରୀର ଚକ୍ଷୁଠୁଁ ନେଇ ଚର୍ମ ଯାଏଁ ପ୍ରତ୍ୟେକ ଅଙ୍ଗ ପୁରୁଷଠୁ ସୁନ୍ଦର୍ ଓ ମନୋରମ ।

ମୁଁ:- ଆଛା , ଯଦି ସତରେ ନାରୀଟିଏ ପୁରୁଷଠୁଁ ସୁନ୍ଦର୍ ତଥାପି ବି ସେ ନିଜକୁ କାହିଁକି ସଜେଇଥାଏ । ଏତେ ସବୁ ପ୍ରସାଧନ ସାମଗ୍ରୀର ଆବଶ୍ୟକତା କ'ଣ ପାଇଁ ?
ସେ :- କାରଣ ହେଉଛି ଭୟ । ଅର୍ଥାତ୍ ନାରୀଟିଏ ସୌନ୍ଦର୍ଯ୍ୟତାର ଯେଉଁ ପାହାଚରେ ବସିଛି ସେହି ସ୍ଥାନରୁ ତଳକୁ ଖସି ନ ଆସିବାର ଭୟ । ପ୍ରତ୍ୟେକ ମଣିଷ ଚାହେଁ ସେ ଯେଉଁ ସ୍ଥାନରେ ଅଛି ସେ ସ୍ଥାନରୁ ଉର୍ଦ୍ଧ୍ବକୁ ଯିବା ପାଇଁ । ନିମ୍ନଗାମୀ ହେବା ପାଇଁ କୌଣସି ମନୁଷ୍ୟ ଚାହେଁନାହିଁ ।

ମୁଁ:- ତଥାପି ବି ନାରୀଟିଏ ତା'ର ସୁନ୍ଦରତା ବେଳେବେଳେ ହରାଇ ବସିଥାଏ କାହିଁକି।
ସେ:- କାରଣ ପତ୍ରଝଡ଼ାର ଋତୁ ଆସିଲେ ନାରୀ ଠୁଁ ନେଇ ପ୍ରକୃତି ସମସ୍ତେ ଅସୁନ୍ଦର ହୋଇଯାଆନ୍ତି। ଉଭୟଙ୍କ ଜୀବନରେ କେବେ ପତ୍ରଝଡ଼ାର ଋତୁ ଆସେ ତ କେବେ ବନ୍ୟା ଆସେ କେବେ ଝାଞ୍ଜି ଓ କେବେ ପୁଣି ଆସେ ମରୁଡି । ସେତେବେଳେ ସେ ଶୁଷ୍କ ନୀରସ ଦିଶେ।

ମୁଁ:-କିନ୍ତୁ ଏ ସବୁ କାହିଁକି ହୋଇଥାଏ।
ସେ:- ମୁଁ ପ୍ରଥମରୁ କହିଛି ପୁରୁଷ ତା'ର ଦର୍ପ, ଗାମ୍ଭୀର୍ଯ୍ୟ ଓ ଅହଂକୁ ନେଇ ସୁନ୍ଦର୍। ତେଣୁ ପ୍ରକୃତି ବା ନାରୀ ଉପରେ ସେ ନିଜର ଜୁଲୁମ୍ କୌଣସି ନା କୌଣସି ଉପାୟରେ/ ସମୟରେ ଦେଖାଇଥାଏ। ସେତେବେଳେ ପ୍ରକୃତି/ ନାରୀର ସୌନ୍ଦର୍ଯ୍ୟ ହ୍ରାସ ପାଏ। ତା'ର ରୂପ କାନ୍ତି ମଳିନ ଦିଶେ। ତା'ର ମୁଖ ମଣ୍ଡଳର ଆଭା କ୍ଷୀଣ ହୋଇଯାଏ।
କିନ୍ତୁ କେବେବି ନାରୀ/ ପ୍ରକୃତି ହାରିଯାଏ ନାହିଁ। ତା'ର ସହନଶୀଳତା, ଧୈର୍ଯ୍ୟ ପାଇଁ ସେ ଦମ୍ଭର ସହ ଠିଆ ହୋଇ ପୁଣି ଥରେ ନିଜକୁ ସଜାଏ। ପୁଣି ଥରେ ହସି ଉଠେ। ତା'ର ଆଭା ଦ୍ଵିଗୁଣିତ ହୁଏ। ଆଉ ଏହି ଆଭା ଦ୍ଵିଗୁଣିତ ହେବାର ବିଶେଷ କାରଣ ହେଉଛି ନାରୀ/ ପ୍ରକୃତିର ସହନ ଶକ୍ତି, ତା'ର ବ୍ୟବହାର ଓ ଆଚରଣ।

ମୁଁ:- ଆଉ ଯେଉଁମାନେ ଅପେକ୍ଷାକୃତ କମ୍ ସୁନ୍ଦର୍ ରୂପରେ ବା ରଙ୍ଗରେ ସେମାନେ କ'ଣ କାହାର ପ୍ରିୟ ହୋଇପାରିବେ ନାହିଁ?
ସେ :- କାହିଁକି ନୁହେଁ... ନାରୀର ରଙ୍ଗ ରୂପଠୁଁ ଢେର୍ ଉର୍ଦ୍ଧ୍ବରେ ତା'ର ସୂକ୍ଷ୍ମ କୋମଳ ହୃଦୟ। ହୃଦୟରୁ ଯିଏ ଅଧିକ ସୁନ୍ଦର୍ ତା ଆଗରେ ରଙ୍ଗ ରୂପବି ତୁଚ୍ଛ ମନେ ହୁଏ। ନାରୀର ଆଚରଣ ଓ ଉଚ୍ଚାରଣ ନାରୀକୁ ଏକ ଭିନ୍ନ ପରିଚୟ ଦିଏ। ସେହି ପରିଚୟରେ ତା'ର ସୁନ୍ଦରତା ଆଜୀବନ ଅମଳିନ ହୋଇ ରହିଥାଏ।
କ୍ରୋଧ, ଦ୍ୱେଷ, ହିଂସା, ଈର୍ଷା ଏସବୁ ଦୁର୍ଗୁଣକୁ ତ୍ୟାଗ କରି ସବୁରି ପାଇଁ ସ୍ନେହ, ଶ୍ରଦ୍ଧା, ପ୍ରେମ ମନରେ ରଖିଲେ ନାରୀ ନିଜେ ସୁନ୍ଦର ହେବା ସହ ତା' ଆଖି ଆଗରେ ପ୍ରତ୍ୟେକ ବ୍ୟକ୍ତି, ବସ୍ତୁ, ଗଛଲତା, ପାଣିପବନ ସବୁକିଛି ମନୋରମ ହୋଇ ଉଠେ। ସୁନ୍ଦର, ଅସୁନ୍ଦରର ଭେଦଭାବ ମନରୁ ଦୂର ହୋଇଯାଏ। ଆଉ ସେତେବେଳେ ନାରୀଟି ଦେବୀ ପାଲଟି ଯାଏ।
ଆମ ବୈଦିକ ଯୁଗରୁ ଦେବୀମାନଙ୍କୁ ପ୍ରକୃତି ରୂପରେ ପୂଜା କରାଯାଉଛି । ନାରୀ ବି ତ ପ୍ରକୃତି ସ୍ବରୂପା । ସେ ବି ତାର ସ୍ନେହ, କରୁଣା, ବାତ୍ସଲ୍ୟରେ ପୁରୁଷକୁ ସିକ୍ତ କରିଚାଲେ ନିରନ୍ତର ନିର୍ବିକାର ମନରେ । ଏଣୁ ପ୍ରକୃତି/ ନାରୀ ଅନନ୍ୟ ଚିର ବନ୍ଦନୀୟା,ପୂଜନୀୟା ।