...

2 views

ଏ ଅସହ୍ୟ ଯନ୍ତ୍ରଣା ଆଉ ସହି ହେଉନି P-1
ଓହୋଃ! ଗାଲରୁ ମୋର ଫାଳେ କଟିଗଲା ।। ମନା କରୁଛି ମୋ ବାପାଟା ପରା ରାତି ଅଧ ଯାଏଁ ଭୂତ କାହାଣୀମାନ ଦେଖେନା, ମୋ କଥା କ'ଣ ସେ ଶୁଣୁଛି ?

କାଲି ରାତିକଥା ଆଜ୍ଞା।। ଆସନ୍ତାକାଲି ରବିବାର ବୋଲି ଟୋକାଟା ଅପରାହ୍ନରେ ପଢିବାକୁ ଯାଇଥିବା ଟିଉସନରୁ ଫେରି ସାହିପଡିଶା ଛୁଆଙ୍କୁ ଏକାଠି କରି ବାହାରି ପଡିଲେ ଖେଳିବାକୁ, ଡେଇଁ ଡେଇଁ ବେଙ୍ଗ ଡେଇଁଲା ଭଳି ବୁଲିବୁଲି ଆସି ପହଞ୍ଚିଗଲେ ଘରେ ସଂନ୍ଧ୍ୟା 6:20ରେ।। ଆଉ ପାଠ ନା ସାଠ। ଖାଲି ବୋଉର ଗାଳି ଯେମିତି ଘର ଭିତରେ ପଶୁ ପଶୁ ନ ପଡେ, ଭୟରେ ଗୋଡ଼ହାତ ମୁହଁ ଧୋଇ ବାବୁ ଆମର ଠାକୁର ଘରେ ପ୍ରେବେଶ କରି ଆସନ ବିଛେଇ ଚକାମାଡ଼ି ବସିପଡିଲେ ପ୍ରାର୍ଥନା ଉଦ୍ଦେଶ୍ୟରେ। ଭକ୍ତି ସହିତ ଭାବର ଦେଖା ସାକ୍ଷ୍ୟାତ ବୋଧହୁଏ ଗାଁ ପାଖ ଛକମୁଣ୍ଡରେ ଛୁଆଙ୍କ ପାଖରେ ଛାଡି ଦେଇ ଆସିଲା ଭଳି ଲାଗିଲା, କ'ଣ ଏପଟ ସେପଟେ କରି ଗୁଣୁଗୁଣୁ ଗାଇ ଲମ୍ବ ହୋଇ ସାଷ୍ଟାଙ୍ଗ ଭାବେ ପଡିଗଲେ ପ୍ରଭୁଙ୍କ ଚରଣତଳେ..... ଦୁଇହାତ ଟେକି ଦେଇ ଭେଣ୍ଡା କହୁଛି - “ପ୍ରଭୁ ରାତି ୯ଟା ପର୍ଯ୍ୟନ୍ତ ମୁଁ ଷଣ୍ଢ, ହେଲେ ୧୦ ଟା ପରେ ଆପଣ ଜଗୁଆଳି ହୋଇ ମତେ ଟିକେ ଆମ ଘର ଦୁଆରମୁହଁ ପର୍ଯ୍ୟନ୍ତ ଛାଡିବାକୁ ଆସିବେ”....... ଅନ୍ଧାର ରାତିର ପଦାଚାଲା ରାସ୍ତାର ଦୁଇ ପାଖରେ ଥିବା ବାଉଁଶଗୁଡିକର କଡମଡ଼ ଶବ୍ଦରେ ବାବୁଙ୍କ ପଛପଟ ୧୭-୧୫।। ଆଖି ପିଛୁଳାକେ ଏକ ନିଶ୍ୱାସର ଦୌଡି ଦୌଡି ଆସି ପହଞ୍ଚିଗଲେ ଘରର ଅଗଣାରେ, ଧଇଁସଇଁ ହୋଇ ଆସି ଚାରି ପାଞ୍ଚ ଥର କବାଟକୁ ଠକ ଠକ କରି ବୋଉଲୋ କବାଟ ଖୋଲ ଖୋଲ ବୋଲି ଏମିତି ବିକଟାଳ ଗର୍ଜନ ଯେମିତି କୌଣସି ମୁହୂର୍ତ୍ତରେ ପିନ୍ଧିଥିବା ପ୍ୟାଣ୍ଟ ଖଣ୍ଡକ ଗୋଟା ସୁଦ୍ଧା ଓଦା ହୋଇଯିବ (ଇଏ ନିତିଦିନିଆ କଥା) “ଆପଣ ଡରନ୍ତୁନି”!
ବୋଉ ତା'ର ରୋଷଇଘରୁ ବାହାରି ଆସି ଦାଣ୍ଡଘର କବାଟ ଖୋଲିବା ଭିତରେ ମନେମନେ କହି ପକେଇଲେ - ଏ କେମିତିକା କେଜାଣି ଦେଖାଉଚି ନିଜକୁ ଦିନବେଳେ ଷଣ୍ଢ, କିନ୍ତୁ ରାତିରେ ଲଣ୍ଡମଣ୍ଡ ??
ସେପଟୁ ବୋଉଲୋ କବାଟ ଖୋଲ ଖୋଲ ବୋଲି ହାଉଳି ଖାଇଲା ଭଳି ଚିତ୍କାର, ବୋଉ କବାଟଟାକୁ ଧଡ୍-କିରି ଖୋଲି କହି ପକେଇଲେ - ମତେ ଟିକେ ଶାନ୍ତିରେ ତୁ କ'ଣ ରୋଷଇ କରିବାକୁ ଦବୁନି ନା କ'ଣ ? ସେପଟେ ତୋ ବାପା ରାତ୍ରିର ସ୍ୱଳ୍ପ ଭୋଜନ କରି ଓଜନ କମାଇ ନିଜକୁ ସୁସ୍ଥ ରଖିବାକୁ ପ୍ରୟାସ କଲାବେଳେ ତୋର ଏପଟେ ଏ ଗର୍ଜନ ଶୁଣି ମୋର ରକ୍ତଚାପ ବୃଦ୍ଧି ପରିବାରେ ଲାଗିଛି, କୋଉଦିନ ଗୋଟେ ନିଶ୍ଚିତ ମୋ ଅନ୍ତସ୍ଥ ହୃଦୟଟି ଗଛରୁ ବେଲ ତଳକୁ ପଡି ଫାଟିଲା ଭଳି ଫାଟିଯିବ ଯେ ସେତେବେଳେ ଆଉ ବୋଉକୁ ଡାକୁଥିବୁ।। “ବାରବୁଲା ଛତରଖିଆ (ମୋ ବୋଉର ଗାଳି)ଙ୍କ ଭଳି ବୁଲି ବୁଲି କେଇଟା ଟୋକାଙ୍କ ସହ ଚାରି ପାଞ୍ଜିରୁ ତୁ ଗଲୁଣି”, ଆସେ ଭିତରକୁ..... ଯାଆ! ଗୋଡ଼ ହାତ ଧୋଇକି ଆସିକି ବାପାଙ୍କୁ ଡାକିକି ଆଣେ ମୁଁ ଖାଇବା ବାଢୁଛି।
ପୁଅ- ବାପା! ବୋଉ ଡାକୁଛି ଖାଇବ ଆସ।
ବା (ରାଗିକି) - ହଁ! ହଁ! ନିହାତି ଆପଣଙ୍କ କଥା ଆମେ ଅକ୍ଷରେ ଅକ୍ଷରେ ପାଳନ କରିବୁ ଆଉ ବିଳମ୍ବ ଅଛି, ୟାହାଳିପ (ଗାଉଁଲି ଭାଷା)! ବୁଲିବୁଲି ତ' ତୋର ଫାଳେ ଜୀବନ ଗଲାଣି ଭାରି, ଆଉ ଯୋଉ ଫାଳକ ଅଛି ତାକୁ ବି ଧୋଇ ଶୁଖେଇ ସାରିଦେ..... ଶେଷରେ ଉଲଗ୍ନ ହେଇ ବୁଲୁଥିବୁ, ତୁ ଲଜ୍ୟା ନିବାରଣ ପାଇଁ ପୋଷାକ ଘୋଡେଇ ହେବାକୁ ମାଗିଲେବି କେହି ଦେବେନି।।
ପୁ (ମନ ଶୁଖେଇ) - ସବୁବେଳେ ମୋରି ଉପରେ ରାଉ ରାଉ।।
ବା- ହଉ ତତେ ଆଜିଠୁ ମୁଁ କିଛି କହିବିନି, ଆଉ ଯଦି ଖାଇସାରିବା ପରେ ତୁ ଟିଭି ପାଖରେ ତତେ ମୁଁ ବସିଥିବାର ଦେଖେ ତାହେଲେ ମତେ ଚିହ୍ନିବୁ। ଆଗରେ ଚାଲେ! ଆଉ ଏ ସୁନ୍ଦର ବଦନକୁ ଦେଖଇ ଏଠି ଠିଆ ହୁଅନା।
(ଦୁହେଁ ବାପ-ପୁଅ ଆଗପଛ ହୋଇ ଆସିଲେ)
ମାଆ ପ୍ରସ୍ତୁତ କରିଥିବା ରାତ୍ରି ଭୋଜନରେ ରୁଟି, ବୁଟଆଳୁ ତରକାରୀ ସାଙ୍ଗକୁ ଦୁଇଫାଳ ହୋଇଥିବା ଗୋଟା ପିଆଜକୁ ଦୁଇ ପାତ୍ରରେ ବାଢିଦେଇ ବଢ଼େଇ ଦେଇଥିଲେ ଦୁଇ ଜଣଙ୍କୁ। ସାମାନ୍ୟ ରୂପେ ୩ଜଣଙ୍କର ଖାଦ୍ୟପେୟ ସରିବା ପରେ ହାତ ମୁହଁ ଧୁଆଧୋଇ ସାରି ବାହାରି ପଡିଲେ ଶୋଇବାକୁ.....

କ୍ରମଶଃ :-
© Ritesh Dash