ସେହି ଆଲୋକ ବିନ୍ଦୁ
*ସେହି ଆଲୋକ ବିନ୍ଦୁ*
ଶିଷ୍ୟ ଗୁରୁଙ୍କୁ ପଚାରିଲା-ମହାଭାଗ! ସମସ୍ତେ କହୁଛନ୍ତି ସଂସାର ମିଥ୍ୟା, ଅଳିକ ହେଲେ ମୋତେ ତ ଏହା ବାସ୍ତବ ଲାଗୁଛି। ଏ ସଂସାର ତ ମୋତେ ଭାରି ଆକର୍ଷକ ମନେ ହେଉଛି। ଏ ମୋହକ ସଂସାରକୁ ସମସ୍ତ ଶାସ୍ତ୍ର କ୍ଷଣସ୍ଥାୟୀ ବୋଲି କହୁଛନ୍ତି। ମୁଁ ବଡ଼ ଦ୍ଵିବିଧାରେ ପଡ଼ିଛି। ଏଥିରୁ ମୋତେ କୃପା କରି ମୁକ୍ତି ଦେବେ କି?
ଗୁରୁ ଶିଷ୍ୟକୁ ପାଖକୁ ଡ଼ାକିଲେ, କହିଲେ-ବାବା! ଏ ସବୁ ନାଟ ହେଉଛି ମନର। ସେ ଆମକୁ ମାୟା ମିରିଗ ପଛରେ ଦୌଡ଼ାଏ। ତାକୁ ଦୌଡ଼ାଇ ପାରିଲେ ଏ ଦ୍ଵିବିଧାରୁ ମୁକ୍ତି ପାଇ ପାରିବୁ।
ଧ୍ୟାନ ଲଗାଇ ଟିକେ ବସିଲୁ। ଶିଷ୍ୟ ଧ୍ୟାନ ଲଗାଇ ବସିଗଲା। ଗୁରୁ ଶିଷ୍ୟର ଶିରରେ ଥିବା ଶିଖାର ଉତ୍ପତ୍ତିସ୍ଥଳକୁ ଟିକେ ଛୁଇଁ ଦେଲେ। ଶିଷ୍ୟ ଦେହରେ ତଡ଼ିତ ବିଦ୍ୟୁତ ସ୍ରୋତ ପ୍ରବାହିତ ହୋଇଗଲା।
ସେ ଦେଖିଲା-ଅନନ୍ତ ଅନ୍ଧକାର। ଆଗରେ ସାମାନ୍ୟ ଆଲୋକର ବିନ୍ଦୁଟିଏ ଦେଖାଯାଉଛି। ରାସ୍ତା ନାହିଁ, ଚାଲିବା ପାଇଁ ତା’ର ଗୋଡ଼ ନାହିଁ, ତାକୁ ବୋହି ନେବା ପାଇଁ କୌଣସି ଗାଡ଼ିମଟର ମଧ୍ୟ ନାହିଁ। କିନ୍ତୁ ସେ ଆଡ଼କୁ ସେ ଟାଣି ହୋଇ ଚାଲିଛି।
ସେହି ଆଲୋକ ପାଖରେ ପହଞ୍ଚିଲା ବେଳକୁ ଆଲୋକ ଅନ୍ତର୍ହିତ ହୋଇଯାଇଛି। ସେ ନିଜକୁ ଏକ କ୍ଷୁଦ୍ର ଅନ୍ଧକାର କୋଠରୀ ମଧ୍ୟରେ ଆବିଷ୍କାର କଲା। ଜଳପୂର୍ଣ୍ଣ ଏକ ସରୋବର। ତହିଁରେ ଏକ କମଳ ପ୍ରଷ୍ଫୁଟିତ ହୋଇଛି। ସେ କମଳ ଉପରେ ସେ ନିଜେ ପଦ୍ମାସନରେ ବସିଛି ଏକ ଅରୂପ ବିନ୍ଦୁ ରୂପରେ। କ୍ରମେ ସେ ରୂପ ନେଉଛି। ତାକୁ ଲାଗୁଛି ସେ ମାଛ ପରି ପହଁରିବାକୁ ଲାଗୁଛି। ତା’ର ହାତ ଗୋଡ଼ ସୃଷ୍ଟି ହେଉଛି। ଧିରେ ଧିରେ ଶରୀର ବୃଦ୍ଧି ହେଉଛି। କ୍ରମେ ତା’ ପାଇଁ ସେ ସ୍ଥାନ ଯଥେଷ୍ଟ ହେଉନଥିବା ଅନୁଭବ ହେଉଛି। ସେ ଅନୁଭବ କରୁଛି ତା’ ଶରୀର ଉପରେ ଅସହ୍ୟ ଚାପ।
ତାକୁ ଲାଗୁଛି ଏ ଚାପରେ ତା’ ଶରୀର ଫାଟିଯିବ। ସେ କଷ୍ଟରେ ରଡ଼ି ଛାଡ଼ିବାକୁ ଚେଷ୍ଟା କରୁଛି। ହଠାତ୍ ତା ପାଟିରୁ ନାକରୁ ପାଣି ସହ ପବନ ବାହାରି ଯାଉଛି ଏବଂ ହଠାତ ନିରନ୍ତର ରଡ଼ି ବୋବାଳି ସହ ସେ ନିଜକୁ ପାଉଛି ଏକ ମୁକ୍ତ ସ୍ଥାନରେ ଦେହ ସାରା ରକ୍ତ ସାଲୁବାଲୁ ଏକ ଟ୍ରେ ଉପରେ। ତାକୁ କେହି ଜଣେ ଟେକି ନେଇ ଭାରି ସନ୍ତର୍ପଣରେ ସଫା କରି ଦେଉଛି। ସମର୍ପି ଦେଉଛି ସୁନ୍ଦର ସୁନ୍ଦର ହାତ ଦିଓଟିରେ। ସେ ଆଖି ଖୋଲିବା ବେଳକୁ ସୁନ୍ଦର ହସ ହସ ମୁହଁଟିଏ ଯେଉଁଥିରେ ଭରି ରହିଛି ସଂସାର ଗୋଟାକ ଯାକର ସ୍ନେହ ପ୍ରେମ ଓ ଭଲ ପାଇବା।
କେତେ ଲୋକ ଆସିଲେ। କେତେ ଗେଲ କଲେ। କେତେ ମିଠା ବଣ୍ଟା ଗଲା। ସେମାନଙ୍କ ଭଲ ପାଇବା ମୋ ମନରେ ସୃଷ୍ଟି କଲା ଅପୂର୍ବ ଆକର୍ଷଣ। ଭୋଜି ଭାତ ନାଟ ସଂକୀର୍ତ୍ତନରେ ଦାଣ୍ଡ ଫାଟି ପଡ଼ିଲା। ତା’ କଡ଼ ଲେଉଟା, ତା ପେଟେଇବା, ତା ଗୁରୁଣ୍ଡିବା, ତା’ ପ୍ରଥମ ମା’ ଶବ୍ଦ ଉଚ୍ଚାରଣ କରିବା ତା’ର ପ୍ରଥମ ଚାଲିବାକୁ ଆରମ୍ଭ କରି ପଡ଼ିବା। ବାଡ଼କୁ ଧରି ଧରି ଚାଲିବା ସବୁ କଥାରେ ପରିବାରରେ ଶ୍ରୀହରଣ ଖେଳି ଯାଉଥିଲା। ଖେଳି ଯାଉଥିଲା ଆନନ୍ଦର ଲହର।
ସେ ଦେଖୁଛି ଧିରେ ଧିରେ ସେ ବଡ଼ ହେଉଛି। ତାପରେ ବିଦ୍ୟାଳୟ ଯାଉଛି। ବିଦ୍ୟାଳୟରେ ବର୍ଷ ପରେ ବର୍ଷ ବିତୁଛି। ନୂଆ ନୂଆ ସାଙ୍ଗ, ନୂଆ ନୂଆ ବହି, ନୂଆ ନୂଆ ଡ୍ରେସ ପୋଷାକ, ନୂଆ ନୂଆ ପରୀକ୍ଷା, ନୂଆ ନୂଆ ଶିକ୍ଷକ ଶିକ୍ଷୟିତ୍ରୀ, ନୂଆ ନୂଆ ଚମକପ୍ରଦ କାର୍ଯ୍ୟକରିବାର ଇଚ୍ଛା, ନୂଆ ନୂଆ ପ୍ରେମ ପ୍ରୀତି, ନୂଆ ନୂଆ ଶିକ୍ଷାନୁଷ୍ଠାନ, ନୂଆ ନୂଆ ପ୍ରତିଯୋଗୀତା ପରେ ନୂଆ ନୂଆ ଚାକିରୀ। ପୁଣି ନୂଆ ନୂଆ ବାହାଘର ଚିନ୍ତା।
ନୂଆ ସାଥିଟିଏ ସହ ଯୋଗାଯୋଗ ପରେ ବାଣରୋଷଣୀ ସହ ବାହାଘର। ବିରାଟ ଭୋଜି ସୁନ୍ଦର ବେଦୀ। ସୁନ୍ଦରୀ ସ୍ତ୍ରୀ ସହ ବାସର ରାତି। ନୂଆ ଆଶା ନୂଆ ଭରସା ପରେ ଘରକୁ ନୂଆ ଅତିଥିଙ୍କର ଆଗମନ।
ପିଲା କବିଲାଙ୍କୁ ନେଇ ସଂସାର ରଥକୁ ପେଲି ଠେଲି ଆଗକୁ ଗଡେ଼ଇ ନେବାର ଅଦମ୍ୟ ଝୁଙ୍କ। ବାପା ମା’ଙ୍କ ପରଲୋକ ଯାତ୍ରା ଜନିତ ଦୁଃଖ ସହୁ ସହୁ ଝିଅର ବାହାଘର, ପୁଅର ଚାକିରୀ। ପୁଅ ପାଇଁ ବୋହୁ ଖୋଜୁ ଖୋଜୁ କେତେବେଳେ ଯେ ସମୟ ଚାଲି ଯାଇଛି ଜଣା ପଡ଼ିନି। ପୁଅ ବାହାଘର ସହ ବୋହୁର ଗୃହ ପ୍ରବେଶ। ଚାକିରୀରୁ ଅବସର।
କ୍ଳାନ୍ତ ଶରୀରଟା ଲୋଟି ପଡ଼ିଛି ଖଟ ଉପରେ। ପାଖରେ ପଢ଼ା ଯାଉଥିବା ଭାଗବତ କେତେବେଳୁ ବନ୍ଦ ହୋଇ ଗଲାଣି। ପାଟିରେ ଦିଆଯାଉଥିବା ନିମାର୍ଲ୍ୟ ପାଣିର ସ୍ବାଦ ଆଉ ଜଣା ପଡ଼ୁନି। ଦୁଆରେ କାଠ ଜମା ହେଲାଣି। କୋକେଇ ସଜ ହେଲାଣି। ନିଆ ଅଟ୍ଟା ବୋଳା ଗଲାଣି। ଛଅ ଜଣ ମାଲ ଖୋଜାଗଲାଣି। ଦାଣ୍ଡ ସାରା ଲୋକରେ ଭର୍ତ୍ତି। ସର୍ବତ ଗୋଟିଏ କାନ୍ଦୁରା କାନ୍ଦୁରା ହାଓ୍ଵା ଯେପରି ବହି ଯାଇଛି। ପୁଅ ସିକା ଭାର ଧରି ଆଗରେ ଖଇ କଉଡ଼ି ବୁଣି ଚାଲିଲାଣି। ରାମ ନାମ ସତ୍ୟ ହୈ ସହ ତାଳ ଦେଇ ମୃଦଙ୍ଗ ବାଜିଲାଣି। ଆଠଟି ଗୋଡ଼ ବିଶିଷ୍ଟ ଗାଡ଼ିରେ ସେ ଶରୀରଟା ଚାଲିଲାଣି ଗାଁ’ ମୁଣ୍ଡରେ ଥିବା ଶ୍ମଶାନ ଆଡ଼କୁ।
ଦୁଆରଟାରେ ସାତ ଜନ୍ମର ସାଥି ବୋଲି ମିଛ ପ୍ରତିଶୃତି ଦେଇ ଭଣ୍ଡେଇ ଆଣିଥିବା ଜୀବନ ସାଥିଟି ଛାତି ବାଡେ଼ଇ କାନ୍ଦୁଥିଲା। କିଛି ମହିଳା ତା’ ହାତରୁ ଶଙ୍ଖା ମୁଣ୍ଡରୁ ସିନ୍ଦୁର କାଢ଼ି ନେବାକୁ ବଦ୍ଧ ପରିକର ହୋଇ ଗଲେଣି।
ଶ୍ମଶାନରେ ଚାରି କାନ୍ଧବାଲା ଗାଡ଼ି ପହଞ୍ଚି ଯାଇଛି। ଜୁଇ ଉପରେ ମୋତେ ଥୁଆ ହୋଇ ଗଲାଣି। ଧୋବା ଘର ପୁଅ କାଠ ଚିରି ଲଦିବାକୁ କହିଲାଣି। କାଠ ଲଦା ପରେ ପୁଅକୁ ଡାକ ଛଡ଼ା ହେଲା। ନିଆଁଅଟ୍ଟାଟା ନେଇ ମୁହଁରେ ନିଆଁ ଦେବାକୁ। ନିଆଁ ଦିଆ ହୋଇ ଗଲା। ଶରୀରଟା ଜଳି ପାଉଁଶ ହୋଇ ଯାଉଛି। ଧିରେ ଧିରେ ନିଆଁ ଲିଭି ଅନ୍ଧାର ମାଡ଼ି ଆସୁଛି। କୁଆଡେ଼ ଯିବି ଭାବିଲା ବେଳକୁ ସାମନାରେ ଦେଖା ଦେଉଥିଲା ସେହି ଆଲୋକ ବିନ୍ଦୁ।
© All Rights Reserved